ସିଂହାସନ

Within the book

Back cover

Poem 12 of 68

କବିତା ୧୨

ଏବେ କାଠ ଘୋଡ଼ାଟାକୁ
ପୋଷା ମନେଇବାର ବେଳ,
ଦୁର୍ଗ ଭିତରକୁ ଟାଣିନେବାର ବେଳ,
କାଠ ଘୋଡ଼ା ପେଟରୁ
ଛିଟିକି ପଡ଼ିବାର ବେଳ,
ଝରକାରୁ
ଆଖିକୁ ଝକ୍ କରିଦେଉଥିବା ମୁହଁଟାକୁ
ଝାଂପିନେବାର ବେଳ,
ରାତିର ନିସ୍ତବ୍ଧ ପ୍ରହରର
ସୁଖଟିକକ ପାଇଁ
ସ୍ଵପ୍ନରେ ହଜିଯିବାର ବେଳ,
ମାଟି ଦୀପରେ ଘିଅ ସଳିତାକୁ ତେଜି
ଅହୋରାତ୍ର ଜାଳି ରଖିବାର ବେଳ,
ସବୁ ମୂଲ୍ୟ ଗୋଟିଏ ଆହୁତିରେ
ଢାଳିଦେବାର ବେଳ ।

ହଁ ସେଇ ମୁହଁଟା ପାଇଁ
ଖାସ ସେଇ ମୁହଁଟା ପାଇଁ
ସିଂହାସନକୁ ବାଜି ରଖିବାର
ସିଂହାସନକୁ ତୁଚ୍ଛ ମଣିବାର
ଶୋଇ ପଡ଼ିଥିବା ମହାରାଜାଂକୁ
ହତ୍ୟା କରିବାର ପ୍ରେରଣାଟିଏ
ଖୋଜିବାର
ଏଇ ହେଉଛି ବେଳ!

Page 13

Comments

Comments are unavailable here.

Leave a comment

Comments are public after review.

Share this poem