କବିତା ୫୫
Page effects
Bookmarks & underlines
Select text to underline it. Saved on this device.
Find a poem
ଚାହିଁଦେଲେ
ବଦଳି ଯାଉଥିଲା ମାନଚିତ୍ର,
ଆଂଗୁଠି ଦେଖାଇ ଦେଲେ ଖସିପଡ଼ୁଥିଲା
ଶୁଦ୍ଧ ସୁବର୍ଣ ଆକାଶ,
ଉର୍ଧ୍ରେ ତା’ ଅହଂକାର ଖେଳୁଥିଲା
ଶ୍ବେତବର୍ଣ ମୁହଁରେ,
ଆଲୋକ ଟିକକ ପାଇଁ
ସାରା ପୃଥିବୀ
ଅନେଇ ରହୁଥିଲା ତାଂକୁ ।
ଆଉ ଆଜି?
ଗଭୀର ନିଦରୁ ଉଠି
ସିଏ ଦେଖୁଛଂତି
ଭୂମି ନ ଥିବା ପାଦ ନ ଥିବା
କୀଟଟିଏ ସିଏ ଗୋଟାଏ ଅଂଧ ଶିବିରର ।
ଗଲାକାଲି ବିଶ୍ଵର ବୃହତ୍ତମ ରାଷ୍ଟ୍ର
ଆଜି ଘୁଣଖିଆ ବାଉଁଶ ବାଡ଼ିଟିଏ-
ଭାଂଗୁଭାଂଗୁ ରହି ଯାଉଛି,
ଯେତେବେଳେ ସାପ ଓ ସରୀସୃପମାନେ,
ବିଛା ଓ ମାଂକଡ଼ସାମାନେ
ଖେଳୁଛଂତି,
ଖେଳି ବୁଲୁଛଂତି
ତା’ ଆବଡ଼ା ଖାବଡ଼ା ଦେହରେ
ସ୍ଵଚ୍ଛଂଦରେ ।
ମହାମହିମ
ଆଜି ବିଚରାଟିଏ,
ଏକା ଏକା
ଏକୁଟିଆ ବାଟୋଇଟିଏ
ନ ଥିବା ରାସ୍ତାରେ!
ଡର ଲାଗୁଛି
କାଳେ ଥାଳଧରି ବାଟଖୋଜୁଥିବା ଭିକାରିଟା
ଚିହ୍ନିଦେବ ସମ୍ରାଟଂକୁ
ଓ ଛେପ ଲଂଡାଏ ଥୁକିଦେବ ମୁହଁକୁ
ଅବା ନିର୍ଭୟରେ ଗୀତ ଗାଉଥିବା
ଅଂଧ ଲୋକଟା
ପାଦଶବ୍ଦ ଶୁଣି ମାଡ଼ିଆସିବ
ଫିଂଗିଦେବାକୁ
ତା’ ହାତର ଲଉଡ଼ିକୁ ସମ୍ରାଟଂକ ଛାତିକୁ ।
ଯୁଗ ପୁରୁଷ ଲୁଚାଇ ଦିଅଂତି ମୁହଁ
ହାତ ପାପୁଲିରେ ।
Page 56
