ସିଂହାସନ

Within the book

Back cover

Poem 65 of 68

କବିତା ୬୫

ତୁ କେଉଁ ମାଧବରେ
ଅଛୁଆଁ ଛିଡ଼ା କରାଇ ଦେଲୁ ଆଣି ମୋତେ
ଏ ଦୁଇ ଆଗ୍ନେୟଗିରିର ମଝିରେ
ଯେଉଁଠି କିଏ କେତେବେଳେ ଜଳି ଯିବ
କି ଜାଳିଦେବ ଦେଶଟାକୁ ଜଣା ପଡ଼ୁନାହିଁ?
ସମସ୍ତେ ପ୍ରିୟ ପ୍ରିୟ ଲାଗୁଥିଲେ
କାହିଁକି ପାପକଥା ଧଇଲୁ ମନରେ?
କେମିତି ଛେଦିବି କହ
ମୋ’ ପ୍ରଭୁଂକ ମୁଂଡ ପରି ଦିଶୁଥିବା
ଏ ନିରୀହ ଛାଗଳ ମୁଂଡକୁ
ଦଂଥରା କଟୁରିରେ?
ପଡ଼ିବି ନାହିଁ ତ ମୁଁ ଅହି ନରକରେ?

ବଂଦକର ବକବାଜ,
ଯେମିତି କହୁଛି ସେମିତି କର:
ଆଗ ମାର, ମାର ମାର
ଯେତେ ଶର ଅଛି ତୋ’ ତୂଣୀରରେ ।
ବିକି ଦେ’ ଯେତେ ସଉଦା ଅଛି ତୋ’ ମୁଣିରେ ।
ମନେରଖ ସୁଯୋଗ ଥରେ ମାତ୍ର ଆସେ,
ହାତଛଡ଼ା କରନା ଉଦାସିଆ ହୋ’ ନା ।
ନୀତି ଫିତି କଥା କହନା ।
ସିଏ ଆଉ ପ୍ରକାରେ ଖେଳ
ସବୁ କାରବାର ଲୁଚେଇ ଦେଇହେବ ସେ ଖେଳ ଭିତରେ,
ଚିତା ଚିତ୍ରିତ ଢାଂକୁଣି ତଳେ ।

ଛାଡ଼୍ ସେ କଥା ।
ଯୁଗ ଚାହୁଁଛି ଯା’ ସେଇଆ କର,
ଆମର ଖୋଲାଖୋଲି ବେପାର
ସିଧାସଳଖ କଥା-
ଗଂଠିଲି ଗଂଡିରା ଧରି ଯାହା ବୋହି ଆଣିଛୁ ପିଠିରେ
ଖୋଲି ସଜେଇ ଥୋଇଦେ’ ସବୁକୁ ସୋ’କେସରେ
ଯେମିତି ଲୋଭନୀୟ ଦିଶିବ ଆଖିକୁ
ଯେମିତି କାମ ମୋହିତ କରିଦେବ ଦେଖଣାହାରିଂକୁ,
ଦେଖ୍, ପ୍ରଦର୍ଶନୀ ପଡ଼ିଆରେ ଜମିଗଲାଣି ଭିଡ଼,
କିଣିବା ପାଇଁ ଅଭାବ ନାହିଁ କାହା ପକେଟରେ,
ବିକେଇବା ଯଚେଇବା ତୋ’ କାମ,
ଲାଗିପଡ଼ ।
ଫୁରସତ ଦେ’ନା ପ୍ରତିପକ୍ଷକୁ ତୀର ବିଂଧିବାରେ,
ଶେଷ ଅସ୍ତ୍ରଟା ପାରୁଛୁ ତ ପ୍ରୟୋଗ କରି ଦେ’
ଆଂଗୁଠି ଦେଖେଇ କହି ଦେ’ ଭାକ୍…. ।”
ବଜାର ଭାଷାରେ
(ଖରାପ କଥା ବୋଲି ପିଲାଦିନେ କାନମୋଡ଼ା ଖାଇଥିଲୁ-
ଏଇତ?)
ଭୁଲି ଯା’ ସେ ଅଳିଆକାଳର ବାଳିଆ କଥା
ମହୀଭୋଗ ନ ଥାଏ ସବୁ ମଣିଷ ଭାଗ୍ୟରେ

ଅଗ୍ନ୍ୟାସ୍ତ୍ର ବ୍ରହ୍ମାସ୍ତ୍ର ଆଦି ଯେତେ ଅସ୍ତ୍ର ଅଛି
ଭାଷାର ଖେଳରେ, ପ୍ରୟୋଗ କରି ଦେ
“ଛିଃ! ଲଂଗଳା କଂଢେଇଟା ଥେଇଥେଇ ନାଚୁଛିଁ”
ଛେପ ଲଂଡାଏ ଥୁକି ଦେ’,
ନଚେତ ଉଭା ଲଂଗଳା ଠିଆ ହୋଇପଡ଼ ମଂଚରେ ।
ଗଂଭୀର କଂଠରେ ପୋଖତ ବେପାରୀ ପରି ବୁଝାଇ ଦେ’:
ଇଏ ଆଉ ଏକ ପୋଷାକ
ଜରି ପୋଷାକ ଠାରୁ ବେଶି ମୂଲ୍ୟବାନ,
ମୋ’ ଆତ୍ମାର କଥା କହୁଛି,
ପେଟଚାଖଂଡକ ପାଇଁ ଅହରହଃ ଲଂଗଳା ହେଉଥିବା
ଅସୁମାରି ମଣିଷର ଦୁଃଖ ବଖାଣୁଛି ।
କଥାଟା ଥୋଉଛି
ଦୁଃଖ ଲିଭାଇ ଦେବା ପାଇଁ ନୁହେଁ
ଜଣାଇ ଦେବାପାଇଁ ଯେ
ତୁମ ପରି ଆଉ ଜଣେ ଦୁଃଖି ମଣିଷ
ଏଇଠି ଠିଆ ହୋଇଛି ତୁମରି ସାମ୍ନାରେ ।
ଚେତନାଟିଏ ପରି ଅଛି ତୁମରି ସାଥିରେ ।

ପଢ଼ିଦେ’ କବିତା ପଢ଼ିଲା ପରି ବାର ବାର,
ମିଛ ସବୁ ସତ ହୋଇଯିବ ।
ତାଳି ବରଷିବ,
ଭିଡ଼ ବଢ଼ିଯିବ ତୋ’ ବିପଣିରେ ।

ଶେଷରେ
ତୋ’ ମୁର୍କି ହସ, ତୋ’ ଗୁଲ୍ବଦନ
ଦିଶିଯିବ ଟିଭି ପର୍ଦାରେ ।
ଓଃ, ଛୋଟ ଛୁଆଗୁଡ଼ାକ ତାଳିମାରି ନାଚିବେ ଯାହା:
ଦେଖ ଦେଖ ଲଂଗଳା ଗଧଟେ
ମୁଂଡରେ ପଗଡ଼ି ଭିଡ଼ି ବସିଛି ସିଂହାସନରେ ।

Page 66

Comments

Comments are unavailable here.

Leave a comment

Comments are public after review.

Share this poem