କବିତା ୬୦
Page effects
Bookmarks & underlines
Select text to underline it. Saved on this device.
Find a poem
ସୁରକ୍ଷା ବଳୟ ଭିତରେ
ହାତକଡ଼ି ଗୋଡ଼କଡ଼ିର ଅପୂର୍ବ ଦୃଶ୍ୟରେ
ହାଣକୁ ଯାଉଥିବା ଛେଳିଟିଏ ପରି
ମହାରାଜା, ଟ୍ରାଫିକ ଭିଡ଼ରେ ।
ଲଜ୍ଜା କି ସଂକୋଚ
ଫୁଟି ଉଠୁ ନ ଥାଏ ଜମା
ସେ ଲାବଣ୍ୟ ଆଖି ଡୋଳାରେ ।
‘ଲଜ୍ଜା’ ନାମକ ଶବ୍ଦଟିଏ
କେହି ତ କେବେ ଶୁଣାଇ ନ ଥିଲେ ତାଂକୁ
ଦରବାରରେ,
ଶିଖାଇ ନ ଥିଲେ ଗୁରୁ ବିଦ୍ୟାମାନ କାଳରେ ।
ଏମିତି ଚାଲୁଚାଲୁ
ସ୍ଵପ୍ନ ତାଂକୁ ଉତ୍ତେଜିତ କରେ
ଭାଷଣଟେ ଶୁଣାଇଦେବାକୁ
ଭିଡ଼ଟା ଜମି ଆସୁଥିଲା ବେଳେ:
“ଏମିତି କିଛି ବଡ଼ ପାପ କରିନାହିଁ
ଦେଶର ସଂପତ୍ତିକୁ ନିଜର ସଂପତ୍ତି ଭାବି
ସାଇତି ଦେଇଛି
ଖାଲିପଡ଼ିଥିବା ଆଉ ଗୋଟାଏ ଅମାରରେ
ପେଟରା ପରି ଦିଶୁଥିବା
ମୋ ପେଟ ଚାଖଂଡକରେ
କଳାକଂଟା ଗୁଡ଼ାକ ଦିନେ ଧଳା କରିଦେବା ପାଇଁ
ଯକ୍ଷପରି ଜଗିବସିଛି ଗୋଟାଏ ଅଂଧାରୁଆ ଘରେ
ସିଲେଇ କରି ସାଇତି ଦେଇଛି
ଛିଂଡା କଂଥା ତଳେ ।”
ଓ କୁଂଢାଇ ଧରଂତେ ସିଂହାସନକୁ
ଲୁହ ଆଉ ଲହୁର ଢେଉରେ
ପ୍ରେୟସୀକୁ ଭୋଗ କରିବାର ପ୍ରମତ୍ତ ଉନ୍ମାଦରେ
ଛନ୍ ଛନ୍ ହରିଣଟାକୁ ଗୋଟାଛାଁ ଗିଳିଦେବାର
ପ୍ରଚଂଡ ପାଶବିକତାରେ,
ମିଳି ଯାଆଂତା ଯଦି ସେ ଅଦୃଷ୍ଟ
ହାତ ପାଆଂତରେ ।
Page 61
