ସିଂହାସନ

Within the book

Back cover

ସମୀକ୍ଷା

କବି ପ୍ରଭାକର ଶତପଥୀଙ୍କ ‘ସିଂହାସନ’: ମୁକ୍ତ ଜୀବନର ଇସ୍ତାହାର

କବି ପ୍ରଭାକର ଶତପଥୀଙ୍କ ସିଂହାସନ (୨୦୦୧,୨୦୧୭) ପଢ଼ିଲାବେଳେ ଏକ ଆକ୍ରମଣ କାରୁଣ୍ୟର ସାମ୍ନା କରିବାକୁ ପଡ଼େ । ଏ କାରୁଣ୍ୟ ହତାଶାବୋଧର ନୁହେଁ; ପ୍ରଚଳିତ ଜନଜୀବନର ରୁଗ୍ଣ ସାମାଜିକତା ଓ ମୂଲ୍ୟବୋଧହୀନ ରାଜନୀତିର ଅକ୍ଟୋପାଶୀ ବନ୍ଧନରେ ବିବଶ ହୋଇ ପଡ଼ିଥିବା ନାଚାରପଣର ନୁହେଁ; କ୍ରୂର କ୍ଷମତାର ଅତ୍ୟାଚାର ଜନିତ ଭୟଗ୍ରସ୍ତ ଅବସାଦପଣର ନୁହେଁ; ବରଂ ଏ କାରୁଣ୍ୟ ସହଭାଗିତା, ସହୃଦୟତା ଓ ପରିବର୍ତ୍ତନଅଭିମୁଖିତାର ଆଧାର । ଏ କାରୁଣ୍ୟ ଯାତ୍ରାର ଜାରି ରଖିବାର, ଖୋଜିବାପଣକୁ ବଞ୍ଚାଇ ରଖିବାର ପ୍ରେରଣା । ଏ କାରୁଣ୍ୟ ଦାସତ୍ୱ ଶୃଙ୍ଖଳ ଛିନ୍ନ କରି ସମ୍ବଦ୍ଧ ଶୃଙ୍ଖଳାକୁ ନୂଆ ସଂଯୋଜନା ଦେବାର ଦୃଷ୍ଟିଟିଏ । କବିଙ୍କ ଭାଷାରେ, “କବିତା ମୋ ପାଇଁ ମୁକ୍ତ ଓ ମୁକ୍ତିର ଧାରକ” । ଏ କାରୁଣ୍ୟ ଧ୍ୱଂସର ମନ୍ତ୍ରପାଠ ନୁହେଁ, ବରଂ ହୃଦୟ ପରିବର୍ତ୍ତନ ପାଇଁ ଶବ୍ଦର ଆହୁତି ।

‘ସିଂହାସନ’ କବିତା ସଂକଳନରେ ୬୮ଟି କବିତା ସଂକଳିତ । କ୍ଷମତା, କ୍ଷମତା ବଣ୍ଟନ, କ୍ଷମତାର ପ୍ରଭାବକୁ ସୂକ୍ଷ୍ମ ପ୍ରତୀକାତ୍ମକ ଢଙ୍ଗରେ ବିଶ୍ଳେଷଣ କରୁଥିବା କବିଦୃଷ୍ଟି । ପୁରାଣ, ଇତିହାସ, କିମ୍ବଦନ୍ତୀ, ସାଂପ୍ରତିକ ରାଜନୈତିକ ବ୍ୟବସ୍ଥା, ଲୋକ କାହାଣୀ, କବିଦୃଷ୍ଟିକୁ କରିଛି ଶାଣିତ । କବିତାକୁ ଦେଇଛି ଗୁଣାତ୍ମକ ଉତ୍କର୍ଷ । ଏ କବି ଦୃଷ୍ଟିର ଅନ୍ତରାଳରେ ରହିଛି ମାନବୀୟ ମର୍ଯ୍ୟାଦାକୁ ମହିମା ମଣ୍ଡିତ କରୁଥିବା ସ୍ୱପ୍ନଟିଏ; ଶୁଭ କାମନା ଦ୍ୱାରା ନୂଆ ପୃଥିବୀ ଗଢ଼ିବାର ଅଦମ୍ୟ ଶକ୍ତିଟିଏ; ମଧୁଦ୍ରବିତ ଆତ୍ମବିଶ୍ୱାସର ପ୍ଲାବନଟିଏ । କବି ପ୍ରଥମେ ଭାଗବତର ନବାକ୍ଷରୀ ବୃତ୍ତରେ କବିତା ଲେଖିବାର ଏକ ପ୍ରୟାସ କରିଛନ୍ତି ଓ ପରେ ବିଭିନ୍ନ କାରଣରୁ ଏ ଧାରାରେ ଲେଖିବାରୁ ନିବୃତ୍ତ ହୋଇ ମୁକ୍ତଛନ୍ଦକୁ ଗ୍ରହଣ କରିଛନ୍ତି । ଏ କବିତାରୁ ପାଠକ ଶୁଣି ପାରିବ ମୁକ୍ତିର ସଂଗୀତ, ଭେଟି ପାରିବ ନିଜ ଉତ୍ତରଣଶୀଳ ଆକାଂକ୍ଷାକୁ । ସେ କ୍ଷମତା ପ୍ରଚୋଦିତ କ୍ଷୁଧାତୁର ପ୍ରବଣତାରୁ ନିଜକୁ ମୁକ୍ତ କରିପାରିବ ।

କବିଙ୍କ ଆଭିମୁଖ୍ୟଟି ଏହିପରି:

ଲଭିବ ଶାନ୍ତି ମୈତ୍ରୀ ପ୍ରୀତି / ନଥବ ସିଂହାସନ ଭୀତି
ଲାଘବ ହେବ ଦୁଃଖ ଭାରା / ଆନନ୍ଦେ ଉଲ୍ଲସିବ ଧରା
ନଥବ କେ ଜଣେ ଶାସକ / ଶାସିତ ହେବେ ନାହିଁ ଲୋକ
ସିଂହ ଆସନେ ଟେରେକାର / ନଥବ ମେଦିନୀ ଉପର
ନୂଆ ପୁରାଣ ଲେଖା ହେବ / ପୁରୁଣା ଚିନ୍ତା ଭାଙ୍ଗିଯିବ
ମୁକ୍ତ ଜୀବନ ଚାହେଁ ନାହିଁ / ଆଉ କେ ହେଉ ତାର ସାଇଁ
ସମାନ ମନ୍ତ୍ର ବୋଲା ହେବ / ସମତା ଦେଶେ ବିରାଜିବ
ନଥବ ଘୃଣା ଭେଦଭାବ / ନଥବ କ୍ଷୁଧା ଓ ଅଭାବ
ପୃଥ୍ୱୀ ହସିବ ସୂର୍ଯ୍ୟୋଦୟେ / ବଚନ ସ୍ଫୁରିବ ନିର୍ଭୟେ
କବି ହୋଇବେ ସବୁଲୋକ / ଉଜ୍ଜ୍ୱଳ ଦିଶିବ ଭୂଲୋକ ॥

(କବି·ହୋଇବେ ସବୁ ଲୋକ)

ଏହି ଭାଗବତ ବୃତ୍ତରେ ଯେଉଁ କବି ଦୃଷ୍ଟି ପ୍ରକଟିତ ତାହା ହେଲା:

(୧) ସିଂହାସନ ଏକ ଭୀତିପ୍ରଦ ବ୍ୟବସ୍ଥା ସୃଷ୍ଟି କରେ । ଏହା ଶୃଙ୍ଖଳାର ଆଧାର ନହୋଇ ବନ୍ଦୀଶାଳାର ଶୃଙ୍ଖଳରେ ପରିଣତ ହୋଇଛି ପ୍ରଚଳିତ ସମାଜ ବ୍ୟବସ୍ଥାରେ । ତେଣୁ ସଂହତି ପାଇଁ ଆବଶ୍ୟକ ସମତା ହାସଲ କରିବାକୁ ହେଲେ ସିଂହାସନର ବିକଳ୍ପ ଅନ୍ୱେଷଣ ସମାଜ ପାଇଁ ଏକ ଆହ୍ୱାନ ।

(୨) ସଂହତିର ମୌଳିକ ଉପାଦାନ ଯଥା ଶାନ୍ତି, ମୈତ୍ରୀ, ପ୍ରୀତି, ସମାନତା, ଆଧୁନିକ ବିଚାର ବିମର୍ଶର ବିକାଶ ପାଇଁ କବି ପ୍ରାଣର ଆବଶ୍ୟକତାକୁ କବି ଅନୁଭବ କରିଛନ୍ତି । ତେଣୁ ‘କବି ହୋଇବେ ସବୁ ଲୋକ’ ଉପରେ ଗୁରୁତ୍ୱ ଦିଅନ୍ତି । କବି ପ୍ରାଣରେ ଏମିତି କ’ଣ ଥାଏ ଯେ ଏହା ସିଂହାସନ କୈନ୍ଦ୍ରିକ କ୍ଷମତାର ବିକଳ୍ପ ଭାବେ କାମ କରିବ ?

ଯେତେବେଳେ ପ୍ଲାଟୋ ତାଙ୍କ ରିପବ୍ଲିକ୍‌ରୁ କବିତାକୁ ନିର୍ବାସିତ କରିବା ପାଇଁ ଗ୍ଲୁକୋନ୍‌ଙ୍କୁ ପରାମର୍ଶ ଦିଅନ୍ତି ବା ଏକ ନିର୍ଦ୍ଦିଷ୍ଟ ଧରଣର କବିତା, ଯାହା ଈଶ୍ୱର ବା ଭଲଲୋକଙ୍କ ପ୍ରଶଂସା କରେ, ତାକୁ ଗ୍ରହଣ କରିବା ପ୍ରସ୍ତାବ ଦିଅନ୍ତି, ସେତେବେଳେ କବି ପ୍ରଭାକରଙ୍କ କବିଙ୍କ ଉପରେ ଆସ୍ଥା ସ୍ଥାପନ ଭାବ- ଉଦ୍ଦୀପକ ବିମର୍ଶ ନିର୍ମାଣ କରେ । ରିପବ୍ଲିକ୍‌ରେ କବିତା ସଂପର୍କରେ ମତ ଓ ଯୁକ୍ତିକୁ ନିମ୍ନରେ ଉଲ୍ଲେଖ କରିବା ବିଧେୟ ବୋଲି ମୋର ବିଚାର ।

(କ) କବିତା, ବିଶେଷ କରି ନାଟକୀୟ କବିତା (Dramatic Poetry) ଶ୍ରୋତାଙ୍କ ଉପରେ ଭଲ ଚରିତ୍ରର ବିକୃତ ପ୍ରତିନିଧିତ୍ୱକୁ ଉପସ୍ଥାପନ କରିବାର ଭୟଙ୍କର କ୍ଷମତା ରଖିଥାଏ ଯାହା ରାଷ୍ଟ୍ରର ହେତୁବାଦୀ ନୀତିକୁ ପ୍ରଭାବିତ କରିବାର ଆଶଙ୍କା ରଖେ । ତେଣୁ ବର୍ଜନୀୟ ।

(ଖ) କଳା ବା କବିତା ମାନବୀୟ ପ୍ରକୃତିର ନିମ୍ନ ରୁଚିକୁ ତୋଷଣ କରେ ଯାହା ସତ୍ୟ ବା ନ୍ୟାୟ ବିଚାରଠାରୁ ବହୁ ଦୂରରେ । ପରିଣାମରେ ଏହା ରାଷ୍ଟ୍ରର ଉପଯୁକ୍ତ ପରିଚାଳନାରେ ବାଧା ସୃଷ୍ଟି କରେ । ତେଣୁ ଗ୍ରହଣୀୟ ନୁହେଁ ।

(ଗ) ଅଧିକାଂଶ ଉତ୍ତେଜନା ସୃଷ୍ଟିକାରୀ କବିତା ଯାହା ଈଶ୍ୱର ବା ବୀରମାନଙ୍କ ମିଛ ଉପସ୍ଥାପନା କରାଏ, ତାହା ନୈତିକ ସ୍ଖଳନକୁ ପ୍ରୋତ୍ସାହିତ କରିପାରେ । ଈଶ୍ୱର କେବଳ ଭଲର କାରଣ ତେଣୁ ତାଙ୍କୁ ବିକୃତ ଭାବେ ଉପସ୍ଥାପନ କରାଯାଇପାରିବ ନାହିଁ ବୋଲି ପ୍ଲାଟୋଙ୍କ ମତ । (God is perfectly good and therefore changeless and incapable of deceit, and must never be otherwise represented (The Republic, pp-129) ଉଦାହରଣ ଭାବେ, କବି ଯେତେବେଳେ ଲେଖନ୍ତି- Zeus has two Jars standing on the floor of his palace, full of fates, good in one and evil in the other-ଏହା ଈଶ୍ୱରଙ୍କ ସଂପର୍କରେ ଏକ ମିଛ ଉପସ୍ଥାପନା । ଗ୍ରୀକ୍‌ଙ୍କ ଭଲ (agathos)ର ଏକ ନିର୍ଦ୍ଦିଷ୍ଟ ଅର୍ଥ ଅଛି । ତାହା ହେଲା ନୈତିକ ଦୃଷ୍ଟିରୁ ଭଲ ଓ ଲୋକକଲ୍ୟାଣକାରୀ । ତେଣୁ ଈଶ୍ୱର କେବଳ ଭଲର କାରଣ । (God is the cause, not of all things, but only of good) । ତେଣୁ କବିତା ଈଶ୍ୱରଙ୍କ ମର୍ଯ୍ୟାଦାକୁ ହାନୀ କରିବା ଭଳି କୌଣସି ବିଚାର ଉପସ୍ଥାପନା କଲେ ତାହା ପ୍ଲାଟୋଙ୍କ ଇପ୍ସିତ ରାଷ୍ଟ୍ରର କ୍ଷତି କରିବ । ତେଣୁ ଏପରି କବିତା ଗ୍ରହଣ ଯୋଗ୍ୟ ନୁହେଁ ।

ଏଥର କବି ପ୍ରଭାକରଙ୍କ ବିଚାରକୁ ଆସିବା । ଏକ ସୁସ୍ଥ ସମାଜ ଓ ରାଷ୍ଟ୍ର ପାଇଁ କବି ପ୍ରାଣର ଗୁରୁତ୍ୱ କଣ ? ଆନ୍ତରିକ ଅନ୍ତର୍ଦୃଷ୍ଟି । ଅନ୍ତର୍ଦୃଷ୍ଟି ଗର୍ଭରୁ ସାମାଜିକ ସଂହତି ଓ ସଂଗଠନକୁ ଧ୍ୱଂସରୁ ରକ୍ଷା କରିବାର ବାଟଟିଏ ଫିଟିବାର ବିଶ୍ୱାସ ଜନ୍ମ ନିଏ । ଶଙ୍କାଶୀଳ ଦୃଷ୍ଟିରୁ ପରିସ୍ଥିତିକୁ ମୁକାବିଲା କରିବାର ପ୍ରେରଣା ମିଳେ । ଆନ୍ତରିକ ଅନ୍ତର୍ଦୃଷ୍ଟି ଚେତନାର ସଂଯୋଜକ । ଶ୍ରୀ ଅରବିନ୍ଦ The ideal spirit of poetry ଆଲୋଚନାରେ ଗୋଟିଏ ପ୍ରଶ୍ନ ପଚାରନ୍ତି । ଯେଉଁ ଯୁଗରେ ମନ ଅଧିକରୁ ଅଧିକ ଅନିସନ୍ଧିତ୍ସୁ ହୁଏ ସେଠି କବିତାର ଆଦର୍ଶ ଶକ୍ତି କଣ କରେ ? ତାର ଉତ୍ତରରେ ସେ କହନ୍ତି - “ଅନ୍ତର୍ଦୃଷ୍ଟି ଆମ ଭିତରେ ‘ଅହଂ’ ଓ ବାସ୍ତବତାକୁ ନେଇ ମୁକ୍ତାତ୍ମା ଈଶ୍ୱରଙ୍କ ରୂପ ଗ୍ରହଣ କରେ, ସତ୍ୟ, ସ୍ୱାଧୀନତା ଓ ଐକ୍ୟର ଈଶ୍ୱର ରୂପ ନିଏ, ଦ୍ରଷ୍ଟା ଇଚ୍ଛା (Visioned will) ଓ କ୍ଷମତାର ଈଶ୍ୱର ରୂପ ଗ୍ରହଣ କରେ, ପ୍ରେମ, ସାର୍ବଜନୀନ ଆନନ୍ଦର ଈଶ୍ୱର ରୂପ ନିଏ, ସାର୍ବଜନୀନ ଓ ଶାଶ୍ୱତ ସୌନ୍ଦର୍ଯ୍ୟର ଈଶ୍ୱର ରୂପ ନିଏ,ପରମ ଆଲୋକ, ପରମ ସଂହତି, ପରମ ଭଲର ଈଶ୍ୱର ରୂପ ନିଏ ।” ଅନ୍ତର୍ଦୃଷ୍ଟି ସଂପନ୍ନ କବିତା ପାଞ୍ଚୋଟି ଶାଶ୍ୱତ ଶକ୍ତିର ଉଦ୍‌ବୋଧନ କରେ । ସତ୍ୟ, ସୌନ୍ଦର୍ଯ୍ୟ, ଆନନ୍ଦ, ଜୀବନ ଓ ଆତ୍ମବୋଧ । କଥାକୁ ଟିକେ ଭିନ୍ନ ଦୃଷ୍ଟିରୁ କହିଲେ କବିପ୍ରାଣର ଅନ୍ତର୍ଦୃଷ୍ଟି ବାସ୍ତବତାର ପୁନର୍ମୂଲ୍ୟାୟନ କରିବା ପାଇଁ ସର୍ଜନ ମାର୍ଗ ଖୋଲିଦିଏ । ଏ ଦୃଷ୍ଟି- ବିବେଚନା ବାସ୍ତବ ରୂପ ନେଉ କି ନନେଉ, ହୃଦୟ ଭିତରେ ଆତ୍ମ ନିୟନ୍ତ୍ରିତ ଶାସନର ଚିତ୍ର ଆଙ୍କି ଦିଏ ।

ଦାର୍ଶନିକ ନିତ୍‌ସେ Will to power 2: The will to the Endରେ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ସିଦ୍ଧାନ୍ତ ଦିଅନ୍ତି । ଏକ ନୃତ୍ୟରତ ତାରକାକୁ ଜନ୍ମ ଦେବା ପାଇଁ ନିଜ ଭିତରେ ଏକ ଭୟଙ୍କର ବିଭ୍ରାଟ ରହିବା ଜରୁରୀ: One must have chaos inside in order to give birth to a dancing star(p.p-1) । ସିଂହାସନ କବିତା ସଂକଳନ ପଢ଼ିବାବେଳେ ପାଠକ ଭିତରେ ବିଭ୍ରାଟରୁ ତାରକା ଜନ୍ମର ଅନୁଭବ ଆସେ । ପ୍ରଥମ କବିତାକୁ ଦେଖାଯାଉ ।

ଝଗଡ଼ାର ସୂତ୍ରପାତ ହେଲା
କାମିନୀ କାଂଚନ କିଛି ବି ନଥିଲା
ଝଗଡ଼ା ବଢ଼ିଲା
ଭାଳେଣି ପଡ଼ିଲା: ଘଟି ଯିବକି ଅଘଟଣ ?

×××
ଦଉଡ଼ି ଆସିଲା ସୁନାରଙ୍ଗର ସକାଳ ପରି
ସୁଠାମ ଟୋକାଟିଏ
ଉଞ୍ଚା ମାଟି ଗଦା ଉପରୁ ନିର୍ଦ୍ଦେଶିଲା ରାଜାର ଠାଣିରେ
------------
ହଟ୍ଟଗୋଳ ଲିଭିଗଲା ମୁହୂର୍ତ୍ତ ଭିତରେ ।
ମାଟି ଖୋଳୁ ଖୋଳୁ ଜଣାପଡ଼ିଲା
ଉଞ୍ଚ ମାଟି ଗଦା ତଳେ ସିଂହାସନ ଲୁଚି ରହିଥିଲା ।

ଏ ସିଂହାସନ ଏକ ଶୃଙ୍ଖଳାର ପ୍ରତୀକ । ଏହା ଏକାଧାରରେ ଜନମଙ୍ଗଳକାରୀ ଓ ରାଷ୍ଟ୍ର ଚେତନାର ଆଧାର । ଏ ସିଂହାସନ ବିକ୍ରମାଦିତ୍ୟଙ୍କ ସୁଶାସନ ପ୍ରତିଷ୍ଠା କରେ ଓ ସୁବର୍ଣ୍ଣ ଯୁଗର ସନ୍ଧାନ ଦିଏ । ଏ ସିଂହାସନ ନ୍ୟାୟ ଓ ନୀତିର ସଂରକ୍ଷକ ଭାବେ ଜନ ଚେତନାକୁ ଭଲ ଓ ମନ୍ଦର ମାର୍ଗଦର୍ଶିକା ଦିଏ । ଟିକେ ଗଭୀରକୁ ଯାଇ କହିଲେ ଏ କବିତାର ନାଟକୀୟ ଉଦ୍ଭବ ଭିତରେ ପ୍ଲାଟୋଙ୍କ ଆଦର୍ଶ ରାଷ୍ଟ୍ରର ସ୍ୱରୂପ ଦିଶିଯାଏ ।

ପରବର୍ତ୍ତୀ ଅଧିକାଂଶ କବିତାରେ ସିଂହାସନ (ରାଜତନ୍ତ୍ରର ହେଉ କି ଗଣତନ୍ତ୍ରର) ଏକ ବିପର୍ଯ୍ୟୟ, ବିଧ୍ୱଂସ, ଅରାଜକତାକୁ ଜନ୍ମ ଦେଇଛି । ଉପରକୁ ସୁଦୃଶ୍ୟ ଦିଶୁଥିବା ସିଂହାସନ ବ୍ୟବସ୍ଥାର ଅନ୍ତରାଳରେ ଅନୈତିକ, ଅମାନବିକ, ଅସମାନ ନ୍ୟାୟ ବଣ୍ଟନ ସିଂହାସନକୁ କରିଛି ରକ୍ତ ପିପାସୁ ଓ କାମାସକ୍ତ । କବିଙ୍କ ଭାଷାରେ, “ଆଉ କିଛି ବି ସତ୍ୟ ନୁହେଁ / ଏ ରାଜକୀୟ ଖେଳରେ / ସତ୍ୟ ଖାଲି ଭୟ ଆଉ ଅହଂକାର / ..... ଆଦର୍ଶର ସୁନାମୁକୁଟ କେତେବେଳେ ପିତୃହତ୍ୟାର କାରଣ ତ କେତେବେଳେ ସୁନା ନାକ କାଟି ଦେବାର ଶ୍ରେଷ୍ଠ ବାକ୍ୟଟିଏ (ପୃ- ୨୩)”

ସଂକଳନର ଅଧିକାଂଶ କବିତାରେ ଗଳିତ ନୈତିକତା, କ୍ଷମତା ଲିପ୍‌ସାର କପଟତା, ଅର୍ଥ ଲୋଭର ବିକଳ ପ୍ରତିଯୋଗିତା, ମନୁଷ୍ୟକୃତ ଅସମାନତା ଓ ବହିଷ୍କରଣ ପ୍ରକ୍ରିୟାକୁ ମାର୍ମିକ ଢଙ୍ଗରେ କବି ପ୍ରକାଶ କରିଛନ୍ତି । ଲୋକକଥା, ମିଥ୍, ପୁରାଣ ଚରିତ୍ର, ଶାସ୍ତ୍ରବଚନ ମାଧ୍ୟମରେ ଏ ବିକୃତିର ବ୍ୟାଖ୍ୟାନ ରଚନାଶୈଳୀ ଓ ଭାବ ସଂଚାରକୁ ଗୁଣାତ୍ମକ କରିଛି । ଏ କବିତାରେ ଶ୍ଳେଷ ସ ସୂକ୍ଷ୍ମ ବ୍ୟଙ୍ଗ କବିତାକୁ ଦେଇଛି ଶାଣିତ ଦୃଷ୍ଟି ଓ ମର୍ମଦାହକ ଶକ୍ତି । ଏଥିରେ ବୌଦ୍ଧିକ ଉତ୍କର୍ଷ ପ୍ରକାଶ ପାଇବା ସହ ପାଠକ ଦୃଷ୍ଟି ଉନ୍ମୋଚନର ସୁଯୋଗ ଅଛି । ଉଦାହରଣ ଭାବେ କଂସ ରଂଗସଭାକୁ କୃଷ୍ଣଙ୍କ ଆଗମନ ଅରାଜକତାରୁ ପ୍ରଜାଙ୍କୁ ସୁରକ୍ଷା ଦେବାର ଏକ ଆଶ୍ୱାସନା । “ଚାଣୂରମାନଙ୍କର କଣ୍ଠରେ ବିଷ ଆଉ ବିଶ୍ୱାସକୁ ଫେଣ୍ଟୁଥିବା ଖେଳର ଆହ୍ୱାନ / ଆଗୋଚରେ ଗଢ଼ି ଉଠୁଥିବା ମଂଚମାନ (ପୃ.୧୯)” କେମିତି ଭୁଶୁଡ଼ି ପଡ଼େ, ତାହା ପାଠକ ବୁଝିପାରିବ ।

“ଅବୁଝାମଣା ରାଜାକୁ ପାଲଚୁଣ୍ଟା ମନ୍ତ୍ରୀ” ଆମ ଓଡ଼ିଆ ଜନମାନସରେ ଏକ ଅବିଚାରିତ ବିଚାର ପ୍ରକ୍ରିୟାକୁ ସୂଚାଏ ।

“ଅବୁଝାମଣା ହେଲେ କି ପାଲଚୁଣ୍ଟା ମନ୍ତ୍ରୀ ରଖିଲେ/
ମଲମଲ ପ୍ରାସାଦ ଗଢ଼ିଲେ କି ଅସୁମାରୀ ପ୍ରଜାଙ୍କ
ରକ୍ତରେ ନଈ ବୁହାଇଲେ / କିଛି ଯାଏ ଆସେ ନାହିଁ
ସବୁ ସିଂହାସନର କରାମତି” (ପୃ- ୩୪) । ଏଠି ଶାସକର ବ୍ୟକ୍ତିତ୍ୱ ଗୌଣ, ସିଂହାସନର ପ୍ରାଧାନ୍ୟ ମୁଖ୍ୟ ।

କଳିଙ୍ଗ ଯୁଦ୍ଧର ବିଭୀଷିକା ଭିତରେ ମହାନ ଜାତିର ଇତିହାସ ବିଶ୍ୱ ସମାଜକୁ କିପରି ଏକ ଭିନ୍ନ ଆଖ୍ୟାନ ଦେଇଛି ତାହା କବି କଲମରେ ସଚେତନ ଭାବେ ଲିପିବଦ୍ଧ । କବିତାର ଆରମ୍ଭ ଏମିତି:

“ନଦୀ ଶଯ୍ୟାରେ ପାଣି ନଥିଲା/ ଲହୁ ଥିଲା, ଲହୁ ଥିଲା ।” ଓ ଶେଷରେ ଥିଲା “କରୁଣାର ମୂର୍ତ୍ତି - ହୃଦୟ ବଦଳିବାର ଅସାମାନ୍ୟ କୃତି” । ଅଳ୍ପ ଶବ୍ଦରେ ଇତିହାସକୁ ପାଠକ ପାଖରେ ପହଞ୍ଚାଇବାରେ ମିଥ୍‌ର ପ୍ରୟୋଗ କେମିତି ସଫଳ ତାହା ଏ କବିତାରୁ ସ୍ପଷ୍ଟ ହୁଏ ।

କ୍ଷମତାର ଅପପ୍ରୟୋଗକୁ ନେଇ ଶାସନତନ୍ତ୍ରର ଚାରିଗୋଟି ବିକୃତିକୁ ପ୍ଲାଟୋ ଦର୍ଶାଇଛନ୍ତି । ଟିମାକ୍ରି, ଓଲିଗାକ୍ରି, ଡେମୋକ୍ରାସି ଓ ଟିରାନି । ଟିମାକ୍ରିରେ ସ୍ଖଳନ ସାମାଜିକ ସଂଘର୍ଷରୁ ଆସେ । ଶାସନ ବ୍ୟବସ୍ଥାରେ ବ୍ୟକ୍ତି ଆଶାବାଦୀ, ଖେଳୁଆଡ଼ ମନୋବୃତ୍ତିର ଥାଏ କିନ୍ତୁ ଅନ୍ତର୍ଗତ ଜୀବନରେ ଅନିଶ୍ଚିତତା ଭର୍ତ୍ତି ହୋଇଯାଏ । “ବାର ବାଦ୍ୟ ବାଜୁଛି / ରାଜଧାନୀ ରାଜରାଣୀ ପରି ଦିଶୁଛି । .... ହଁ, ଇଏ ସେଇ ଲୋକ ଯିଏ ଚିତ୍କାର କରୁଥିଲା / ମୁକ୍ତିଦିଅ, ରକ୍ତ ନିଅ.... ଆଜି ମାଡ଼ି ଆସୁଛି ରାଜାର ଠାଣିରେ” (ପୃ- ୪୬) ।” କିଏ କହିବ ସେ ରାଜା ରହିବ ବା ରହିବ ନାହିଁ ? ନ୍ୟାୟ ଦଣ୍ଡ କେତେବେଳେ କାହା ଅଣ୍ଟାର ଅସ୍ତ୍ର ହେବ କହି ହେବନି । କବିଙ୍କ ଭାଷାରେ “ଅଣ୍ଟାକୁ ଭୁଷେଣା ଅସ୍ତ୍ର / ଭୁଷେ ବିବେକକୁ / ମୁକୁଟ ପିନ୍ଧାଇଦିଏ ଅଣପୁରୁଷାକୁ ।” ପାଠକ ଦେଖନ୍ତୁ, ଶାସନର ଅନିଶ୍ଚିତ ଅବସ୍ଥାକୁ ।

ଅଲିଗାର୍କି ଶାସକର ମୁଖ୍ୟ ଆକର୍ଷଣ ଅର୍ଥ । ଶାସକର ଚରିତ୍ର ଏକ ଅଣ୍ଡିରା ମହୁମାଛିର (ଡ୍ରୋନ୍‌ର) । କାମ ନକରି ବିଳାସ କରିବା ଏହି କ୍ଷମତାର ଅପବ୍ୟବହାର । ଦୁର୍ନୀତି, ଦେଶର ସଂପତ୍ତିକୁ ବ୍ୟକ୍ତିଗତ କରିନେବା, ତୋଷରାଜ୍, ଏହାର ଚରିତ୍ର । ଯେତେବେଳେ ରାସ୍ତାରେ ହାତକଡ଼ି ପିନ୍ଧି ଗଣତନ୍ତ୍ରର ନେତା ଯାଉଥାଏ ସେ ନିଜ ସଫେଇରେ ଜନତାଙ୍କୁ କହୁଥାଏ- “ଏମିତି କିଛି ବଡ଼ ପାପ କରିନାହିଁ/ ଦେଶର ସଂପତ୍ତିକୁ ନିଜର ସଂପତ୍ତି ଭାବି ସାଇତି ଦେଇଛି ଖାଲି ପଡ଼ିଥିବା ଅମାରରେ (ପୃ - ୮୯) ।” ଯେତେବେଳେ ଅଲିଗାର୍କିର ଶାସନ ଧାରା ପାଠକ ପାଖରେ ଧରାପଡ଼ିଯାଏ । “ସମସ୍ତଙ୍କୁ ପାଟି ତ ବନ୍ଦ ମୁଢ଼ି ମୁଠାକରେ / କିଣା ବିକା ପକ୍କା ହୋଇଯାଏ ଆଖିର କଜ୍ଜଳ ପରି ଅନ୍ଧାର ରାତିରେ / .... ରକ୍ତ ବହୁ, ନିଆଁ ଜଳୁ, କମାଣ ଫୁଟୁ / ସେଥିକି ପରବାୟ ନଥାଏ (ପୃ - ୪୯) ।” ଅଲିଗାର୍କିର ଏ କବନ୍ଧ ରୂପକୁ ଆମ ଜୀବନରେ କିଏ ନ ଭେଟିଛି ?

ଡେମୋକ୍ରାସି ଅନ୍ୟ ଏକ ବିକୃତି । ସମାନତା ଓ ବ୍ୟକ୍ତି ସ୍ୱାଧୀନତାର ଦୁଇ ବିନ୍ଦୁକୁ ନେଇ ଯେଉଁ ଗଣତନ୍ତ୍ରର ସ୍ୱପ୍ନ ଦେଖାଯାଏ, ଯେଉଁ ଉଦାରବାଦୀ ଗଣତନ୍ତ୍ରକୁ ନେଇ ଫ୍ରାନ୍‌ସିସ୍ ଫୁକୁୟାମା ମାନବ ସମାଜର ପ୍ରଗତିର ମାନଦଣ୍ଡ ପ୍ରସ୍ତୁତ କରିଛନ୍ତି, ପ୍ଲାଟୋଙ୍କ ଶାସନ ତନ୍ତ୍ରରେ ତାହା ଏକ ବ୍ୟଭିଚାର । ଆଦର୍ଶ ଓ ବାସ୍ତବତା ଭିତରେ ଏକ ବ୍ୟବଧାନକୁ ଦର୍ଶାନ୍ତି ପ୍ଲାଟୋ । “ଅର୍ଥ ପ୍ରତି ଆସକ୍ତି ଓ ନାଗରିକର ଆତ୍ମସଂଯମ ଏକ ସଙ୍ଗରେ ଯାଇ ପାରିବେ ନାହିଁ” ବୋଲି ସେ ମତ ଦିଅନ୍ତି (The republic, P-373) । ଏହାକୁ ସେ an agreeable anarchic form of society ଭାବେ ଅଭିହିତ କରିଛନ୍ତି (P-376) । ଗଣତନ୍ତ୍ରରେ ବିବିଧତା ସହ ନୀତିହୀନ ଅବସ୍ଥା ଥାଏ । ସିଂହାସନ କବିତାରେ ଏକଥାର ବହୁ ଦୃଷ୍ଟାନ୍ତ ଅଛି ।

“ଲହୁରେ ଭାସୁଛି ରାସ୍ତା / ଦିଗ୍‌ବଳୟ ଲୋହିତ ଦିଶୁଛି/ ନୋଟ ନିଅ ଭୋଟ ଦିଅ / ଗଣତନ୍ତ୍ରର ବିଗୁଲ ବାଜୁଛି (ପୃ - ୪୮) ।” ଠିକ୍ ଏହି ଅବସ୍ଥାର ଅନ୍ୟ ଏକ କରୁଣ ଦୃଶ୍ୟ ଅନ୍ୟ ଏକ କବିତାରେ ଦେଖିବାକୁ ମିଳେ । “ନାଟ ଦେଖୁଥିବା ଶିଶୁ ବୁଝିପାରେ ନାହିଁ / ଗଣତନ୍ତ୍ରର ରାଜା ଶୂନ୍ୟ ଶାସନରେ / ଶାସନହୀନ ଅଣଶାସନରେ / ... ଇଏ କେଉଁ ଦେଶ, ସିଏ ପୁଣି କେଉଁ ରାଜା / ଥରୁଛି ଓ ଥରାଉଛି ନିଜ ସିଂହାସନ କେଉଁ ଆଶଙ୍କାରେ (ପୃ - ୯୨) ?” ଶାସନ ହୀନ ଏ ଅଣଶାସନକୁ ବୁଝିବା ଯେତିକି କଷ୍ଟ ବୋହିବା ବି ସେତିକି ବଡ଼ ବୋଝ ।

ଏବେ ଟିରାନି । ଗଣତନ୍ତ୍ରର ଧନୀ ଓ ଗରିବ ଭିତରେ ସଂଘର୍ଷଜନିତ ଅବସ୍ଥାରୁ ଟିରାନିର ଜନ୍ମ । ପ୍ଲାଟୋଙ୍କ ଭାଷାର ‘Tyrant is a parricide. (P. 391) । ସେ କେବଳ ସ୍ୱଜନ ହତ୍ୟାକାରୀ ନୁହେଁ, ସେ ଏକ ପରଜୀବୀ ଅଣ୍ଡିରା ମହୁମାଛି ଯିଏ ଅନ୍ୟର ଶୋଷଣ କରେ । ଯେଉଁ ପ୍ରଜାଙ୍କୁ ସେ ଶୋଷଣ କରେ ସେମାନେ ପ୍ରତିବାଦହୀନ ସହଜ ଶିକାର । ଏ କ୍ଷେତ୍ରରେ ଅନେକ ବିଚିତ୍ର ଘଟଣା ଘଟେ । କବି ପ୍ରଭାକର ଚମତ୍କାର ଭାବେ ଏକ ଘଟଣାର ଉପସ୍ଥାପନା କରିଛନ୍ତି । “ସିଂହାସନ ପୁଣି ଆରୋହଣର ନୁହେଁ / ଅପହରଣର ବସ୍ତୁ ହୋଇଗଲା ଇତିହାସରେ (ପୃ - ୪୧) ।” ଅନ୍ୟ ଏକ ଅବସ୍ଥାରେ ନାଗରିକ କହେ, “ମୁଁ ତ ବିକି ଦେଇଛି ନିଜକୁ ଗୋଟାପଣେ, କେଉଁଠି ଆଉ ସୁରଟିଏ ଅଛି ଯେ / ଭାଙ୍ଗି ଦେବ ଛତ୍ରପତିର ଦାରୁଣ ସିଂହାସନ (ପୃ - ୯୯)” ।

ସତରେ କଣ ସୁରଟିଏ ନାହିଁ ? ଏଥର ଫେରିଆସିବା ଆକ୍ରମକ କାରୁଣ୍ୟକୁ । ସ୍ଥିତିର ଦୟନୀୟତାରେ କବି ଆକ୍ରାନ୍ତ ସତ, କିନ୍ତୁ ଅବଦମିତ ନୁହଁନ୍ତି । ତାଙ୍କ ଭିତରେ କାରୁଣ୍ୟର ଆକ୍ରମକ ତରଙ୍ଗ ଆଘାତ ଦେବାକୁ ପ୍ରସ୍ତୁତ ଏହି ବିପର୍ଯ୍ୟୟକୁ । ସିଂହାସନର ରକ୍ତରୂପ ଦେଖି ସେ ନିର୍ବେଦ କି ତ୍ରସ୍ତ ନୁହଁନ୍ତି । ବିକି ହୋଇଥିବା ସେଇ ମଣିଷମାନଙ୍କ ଭିତରୁ କେହି ଜଣେ ଲଙ୍ଗଳା ପିଲା ରାଜାକୁ କହି ଦେବାକୁ ସମର୍ଥ- “ରାଜା, ତୁ କାହିଁକି ଲୁଗା ପିନ୍ଧିନାହୁଁ (ପୃ - ୯୪) ?” ସେ ଲଙ୍ଗଳା ପିଲା ଆଉ କେହି ନୁହେଁ, ଆକ୍ରମକ କାରୁଣ୍ୟର କବି ଦୃଷ୍ଟି । କବି ଭିତରେ ଥିବା ସେଇ ଦ୍ରଷ୍ଟା ଇଚ୍ଛା ଯିଏ ସ୍ୱପ୍ନରେ ଭିନ୍ନ ଏକ ପୃଥିବୀକୁ ଜନ୍ମ ଦେବାକୁ ସମର୍ଥ । ଏହି ବିକଳ୍ପ ପୃଥିବୀରେ “ସିଂହାସନ ଅର୍ଥହୀନ ଅକାମ ଶବ୍ଦଟିଏ ହୋଇ ଲିଭିଯାଏ” । ମୁର୍ଦ୍ଦାରମାନଙ୍କୁ ଉଠାଇ ଦେବାକୁ କଦମ୍ବଡାଳର ଲଳିତ ସ୍ୱରରୁ ଶୁଭେ ଆଉ ଏକ ସ୍ୱର । ଏ ସ୍ୱର କ୍ଷମତାତନ୍ତ୍ରର ନୁହେଁ, ପ୍ରେମର କ୍ଷମତା । ହୃଦୟ ସିଂହାସନରେ ମଣିଷର ଅଭିଷେକ ପାଇଁ ଖୋଲି ହୋଇଯାଏ ଆଉ ଏକ ରାସ୍ତା । ଏ ରାସ୍ତା ମୁକ୍ତ ଜୀବନର, ସ୍ୱେଚ୍ଛାଚାରର ନୁହେଁ । ଏ ରାସ୍ତାରେ ଘୃଣା ନାହିଁ, କ୍ଷୁଧା ନାହିଁ, ଦମନ ନାହିଁ, ନାହିଁ ସିଂହ ଆସନର ଟେରେକାର । ଏ ରାସ୍ତାରେ ନୂଆ ଜୀବନର ସୂର୍ଯ୍ୟୋଦୟ ଅଛି, ନିର୍ଭୟ ମଣିଷର ଆତ୍ମ ଜାଗୃତିର ସଂଗୀତ ଶୁଭୁଛି । ଏହାକୁ ମୁକ୍ତ ଓ ମୁକ୍ତିର ଦ୍ୱାରବନ୍ଧ କହିଲେ ଭୁଲ୍ ହେବକି !